ଜଗନ୍ନାଥ ପ୍ରସାଦ :ଜଗନ୍ନାଥ ପ୍ରସାଦ ବିଜ୍ଞାପିତ ଅଞ୍ଚଳ ପରିଷଦରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି ।ବର୍ଷା ନାହିଁ, କିନ୍ତୁ ଡ୍ରେନ ପାଣି ରାସ୍ତା ଉପରେ ଭାସୁଛି ।ମୁଖ୍ୟ ବଜାରକୁ ଲାଗି ରହିଥିବା ସର୍ବ ବୃହତମ ଓ ପୁରାତନ ସାହି କୁହାଯାଉ ଥିବା ‘କଇଥ ସାହି’ରେ ଏହି ଅବ୍ୟବସ୍ଥା ଦେଖିବାକୁ ମିଳିଛି ।ଗତ କିଛି ମାସ ହେଲାଣି ଏହି ପୋଚକା ପାଣି ରାସ୍ତାରେ ଭାସୁଛି ।ସୂଚନା ଥାଉକି କଇଥ ସାହିର ରାସ୍ତାଟି ୨୨ଫୁଟ ରହିଥିବା ବେଳେ ପାଣି ନିଷ୍କାସନ ପାଇଁ ଉଭୟ ପାର୍ଶ୍ଵରେ ଡ୍ରେନ ବ୍ୟବସ୍ଥା କରାଯାଇଛି ।କିନ୍ତୁ ସାହିର କିଛି ଖଳ ପ୍ରକୃତିର ଲୋକମାନେ ଏହାକୁ ଜାଣିଶୁଣି ଡ୍ରେନକୁ ପୋତି ଜାମ କରି ରଖିଛନ୍ତି ।କାହାର ଘର ଆଗରେ ଇଟା ରଖିଛନ୍ତି ତ ଆଉ କିଏ ମାଟି ପୋତି ଜାମ କରିଛନ୍ତି ।ପୂର୍ବରୁ ଏ ନେଇ ଅଭିଯୋଗ ହୋଇଥିଲା ।ଗ୍ରାମପଞ୍ଚାୟତ ଅଧିକାରୀ ବସନ୍ତ ସାହୁଙ୍କ ତାଗିତ ପରେ ସୁଧାର ଆସିଥିଲା ।କିନ୍ତୁ ରାସ୍ତାର ଅନ୍ୟ ପାର୍ଶ୍ଵରେ ସେହି ଖଳ ପ୍ରକୃତିର ଲୋକମାନେ ଜାଣିଶୁଣି କାଠ, ଇଟା, ବାଲି, ବଳଦ ରଖି ରାସ୍ତାର ବିପରୀତ ପାର୍ଶ୍ଵ ଡ୍ରେନରେ ମଇଳା ପକାଇ ଜାମ କରୁଛନ୍ତି l ଯାହାଫଳରେ ଡ୍ରେନଜାମ ହୋଇ ପାଣି ରାସ୍ତାରେ ଭାସୁଛି l ଏହାକୁ ପ୍ରତିରୋଧ କଲେ ଧମକ ଚମକ ମିଳୁଥିବା ପଡୋଶୀ ସୂଚନା ଦେଇଛନ୍ତି l ନିଜନିଜ ଘର ଆଗରେ ଜାଗା ଥାଇ ମଧ୍ୟ ଅନ୍ୟତ୍ର ଜାଗାରେ ଘରର ମଇଳା ରଖୁଥିବା ହେତୁ ଏପରି ପରିବେଶ ଦେଖା ଦେଉଥିବା ଅଭିଯୋଗ କରିଛନ୍ତି l ବର୍ତମାନ ଏହି ନାଳର ପାଣି ପଚିସଢ଼ି ଦୁର୍ଗନ୍ଧ ମୟ ହେଉଛି l ଯାହାଫଳରେ ସାହିପଡୋଶୀ ଘରୁ ବାହାରି ପାରୁନାହାନ୍ତି l ଏପରିକି ପିଇବା ପାଣି ପାଇଁ ଏକ ଟେପ ରଖାଯାଇଛି l ଏହି ଦୁର୍ଗନ୍ଧ ପାଣି ଦେଇ ଲୋକେ ପାନିଅ ଜଳ ଘରକୁ ନେଉଛନ୍ତି l
ତା ସହିତ ଏହି ରାସ୍ତାଟି ଛାମୁଣ୍ଡା ପଞ୍ଚାୟତ ଭୁକ୍ତାଭୂମି ଗ୍ରାମକୁ ସଂଯୋଗ କରୁଥିବାରୁ ଶତାଧିକ ଯାନବାହାନ ଓ ପଥଚାରି ଦୈନନ୍ଦିନ ଯିବାଆସିବା କରୁଥିବା ବେଳେ ସାହିରେ ବସବାସ କରୁଥିବା ଏକ ହଜାରରୁ ଉର୍ଦ୍ଧ ସାହିବାସୀ ଦୈନିକ ନାଳର ଅପରିଷ୍କାର ପାଣି ଦେଇ ଯାତାୟାତ କରୁଛନ୍ତି l

ଦୀର୍ଘଦିନ ଧରି ନାଳ ସଫା ହେଉ ନ ଥିବାରୁ ନିକଟରେ କାଳବୈଶାଖୀ ବର୍ଷାରେ ନାଳନର୍ଦ୍ଦମା ପାଣି ନିଷ୍କାସନ ହୋଇ ନ ପାରି ରାସ୍ତାରେ ଭାସୁଥିବା ଦୃଶ୍ୟ ସୋସିଆଲ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲେ ହେଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ କୌଣସି ଗୁରୁତ୍ୱ ଦିଆଯାଉନାହିଁ l ତେବେ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ସମାଧାନ କରିବା ସହ ବାରମ୍ବାର ପ୍ରଶାସନର ତାଗିତ ଅବମାନନା କରୁଥିବା ଖଳ ପ୍ରକୃତିର ଲୋକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ଜୋର ଧରିଛି ।









