ଭୁବନେଶ୍ୱର- (ବ୍ୟୁରୋ)
ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ଆଜି ନିଜର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି।
ଇସ୍ତଫା ପତ୍ରରେ ଶ୍ରୀ ସାମନ୍ତରାୟ ଉଲ୍ଲେଖ କରିଛନ୍ତି ଯେ, ସେ ଦୀର୍ଘ ବର୍ଷ ଧରି ଦଳ ପାଇଁ ସମ୍ପୂର୍ଣ୍ଣ ନିଷ୍ଠା ଓ ସମର୍ପଣର ସହ କାର୍ଯ୍ୟ କରିଆସିଛନ୍ତି। ତାଙ୍କୁ ରାଜ୍ୟସଭାକୁ ମନୋନୀତ କରିଥିବାରୁ ଏବଂ କଟକ ସମେତ ସମଗ୍ର ଓଡ଼ିଶାର ସେବା କରିବାକୁ ସୁଯୋଗ ଦେଇଥିବାରୁ ସେ ନବୀନ ପଟ୍ଟନାୟକଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି।
ତେବେ ଇସ୍ତଫା ପତ୍ରରେ ସେ ନିଜର ଅସନ୍ତୋଷ ପ୍ରକାଶ କରି ସଙ୍ଗିନ ଅଭିଯୋଗ ଆଣିଛନ୍ତି। ସେ ଲେଖିଛନ୍ତି, “ବିଗତ କିଛି ଦିନ ହେବ ଦଳ ମଧ୍ୟରେ ମୋତେ କ୍ରମାଗତ ଭାବେ ଅଣଦେଖା କରାଯାଉଛି ।ଦଳ ପାଇଁ ମୋର ସେବାର ଆଉ ଆବଶ୍ୟକତା ନାହିଁ ବୋଲି ମୁଁ ଅନୁଭବ କରୁଛି।” ଏହି କାରଣରୁ ସେ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଭଳି ଏକ କଠୋର ନିଷ୍ପତ୍ତି ନେଇଥିବା ଏବଂ ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିବାକୁ ସଭାପତିଙ୍କୁ ଅନୁରୋଧ କରିଛନ୍ତି।
ସେ ମାସ ୨୫ ତାରିଖ,ପତ୍ର ସଂଖ୍ୟା: MP (10) / DS / 2026 ଜରିଆରେ ସେ ବିଜେଡି ସୁପ୍ରିମୋଙ୍କ ପାଖକୁ ଏହି ଇସ୍ତଫା ପତ୍ର ପ୍ରେରଣ କରିଛନ୍ତି ।
ଦେବାଶିଷ ସାମନ୍ତରାୟ ରାଜ୍ୟସଭା ସାଂସଦ ହେବା ସହିତ ସଦସ୍ୟ – କୋପୁ (COPU), ଗୃହ ଓ ନଗର ଉନ୍ନୟନ ଏବଂ ସଡ଼କ ପରିବହନ ମନ୍ତ୍ରଣାଳୟର ସ୍ଥାୟୀ କମିଟିରେ ରହିଛନ୍ତି ।
ଦେବାଶିଷ ସାମନ୍ତରାୟଙ୍କ ଭଳି ଜଣେ ଟାଣୁଆ ନେତାଙ୍କ ଇସ୍ତଫା ପରେ ଏବେ ବିଜେଡି ଶିବିରରେ ଚର୍ଚ୍ଚା ଜୋର ଧରିଛି ଏବଂ ଆଗାମୀ ଦିନରେ ତାଙ୍କର ରାଜନୈତିକ ପଦକ୍ଷେପ କ’ଣ ହେବ, ସେ ନେଇ ସମସ୍ତଙ୍କ ନଜର ରହିଛି।









