ବରିଷ୍ଠ କଂଗ୍ରେସ ନେତା,ସମାଜସେବୀ ସନ୍ତୋଷ କୁମାର ପଟ୍ଟନାୟକଙ୍କ ଦେହାନ୍ତ

ବେଲଗୁଣ୍ଠା:ବେଲଗୁଣ୍ଠା ହାଟପଦା ନିବାସୀ ବରିଷ୍ଠ କଂଗ୍ରେସ ନେତା, ସମାଜସେବୀ ତଥା ପୂର୍ବତନ ନଗର କଂଗ୍ରେସ ସଭାପତି, ରାଜ୍ୟ କଂଗ୍ରେସ କୃଷକ ମୋର୍ଚ୍ଚା ସମ୍ପାଦକ ସନ୍ତୋଷ କୁମାର ପଟ୍ଟନାୟକଙ୍କର ପରଲୋକ ହୋଇଯାଇଛି। ଆଜି ସକାଳ ପ୍ରାୟ ୭ ଟା ସମୟରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା ।ସେ ଏକାଧାରରେ ଜଣେ ନିର୍ଭୀକ, ସ୍ପଷ୍ଟବାଦୀ ଏବଂ ପରୋପକାରୀ ବ୍ୟକ୍ତିତ୍ୱ ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ପରିଚିତ ଥିଲେ।ଏଥି ସହିତ ବେଲଗୁଣ୍ଠା ସହରରେ କନଭେଣ୍ଟ ସ୍କୁଲ ଖୋଲିବାରେ ସେ ପ୍ରଥମ ବ୍ୟକ୍ତି ଥିଲେ ଏବଂ ସେହି ବିଦ୍ୟାଳୟ ଏବେ ଭଞ୍ଜନଗର ନିକଟରେ ଦିବ୍ୟ ଶକ୍ତି ଇଂଲିଶ ମିଡିୟମ ସ୍କୁଲ୍ ନାମରେ ବେଶ ପରିଚିତ ।ସେ ଏହି ବିଦ୍ୟାଳୟର ପ୍ରତିଷ୍ଠାତା ସହିତ ନିର୍ଦ୍ଦେଶକ ଥିଲେ ।ତାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ସମଗ୍ର ବେଲଗୁଣ୍ଠା ସହରରେ ଶୋକର ଛାୟା ଖେଳିଯାଇଛି। ଖବର ପାଇ ପିସିସି ସଭ୍ୟ ଦେବୀ ପ୍ରସାଦ ବିଷୋୟୀ, ବିଦ୍ୟାଧର ପ୍ରଧାନ ଏବଂ ଗଞ୍ଜାମ ଜିଲ୍ଲା କଂଗ୍ରେସ (ପଶ୍ଚିମ) ଉପସଭାପତି ବାବୁଲି ବିନ୍ଧାଣୀରାଙ୍କ ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ଏଥି ସହିତ ମୃତ୍ୟୁ ପର୍ଯ୍ୟନ୍ତ ସେ କଂଗ୍ରେସ ସହିତ ଥିବାରୁ ତାଙ୍କ ମରଶରୀରରେ କଂଗ୍ରେସ ତରଫରୁ କଂଗ୍ରେସ ପତାକା ଚଢ଼ାଇ ସମ୍ମାନ ପ୍ରଦର୍ଶନ କରିଯାଇଥିଲା ।

ସମସ୍ତେ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।ତାଙ୍କର ଏହି ବିୟୋଗରେ ଗଞ୍ଜାମ ଜିଲ୍ଲା କଂଗ୍ରେସ (ପଶ୍ଚିମ) ସଭାପତି. ବି ଦଣ୍ଡପାଣି ପାତ୍ର ଏବଂ ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ହରିକୃଷ୍ଣ ରଥ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏହାସହିତ ପ୍ରେସ୍ କ୍ଲବ, ବେଲଗୁଣ୍ଠା ତରଫରୁ ମଧ୍ୟ ସ୍ୱର୍ଗତ ପଟ୍ଟନାୟକଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରାଯାଇ ଶୋକବାର୍ତ୍ତା ପ୍ରେରଣ କରାଯାଇଛି ।ସ୍ୱର୍ଗତ ପଟ୍ଟନାୟକ ଜଣେ ବ୍ରହ୍ମା କୁମାର ହୋଇଥିବାରୁ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ ବ୍ରହ୍ମା କୁମାର ତରଫରୁ ପ୍ରାର୍ଥନା ପୁର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଭାଇ ବସନ୍ତ ପଟ୍ଟନାୟକ, ସୁଜାତା ପଟ୍ଟନାୟକ ଓ ମମତା ପଟ୍ଟନାୟକଙ୍କ ସମେତ ପରିବାରର ସଦସ୍ୟମାନେ ଉପସ୍ଥିତ ଥିଲେ। ଏହାପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ନିଆଊ ବେଲଗୁଣ୍ଠା ସୁତୁମସର ରୋଡ ଶ୍ମଶାନକୁ ନିଆଯାଇଥିଲା, ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଶେଷ ସମୟରେ ତାଙ୍କ ସାନଭାଇ ବସନ୍ତ (ବୁଲୁ) ପଟ୍ଟନାୟକ ମୁଖାଗ୍ନି ଦେଇଥିଲେ। ତାଙ୍କ ମୃତ୍ୟୁରେ ବେଲଗୁଣ୍ଠା ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳି ଯାଇଛି ।

Leave a Reply

Your email address will not be published. Required fields are marked *

और पढ़ें