ଭଞ୍ଜନଗର ଠାକୁରାଣୀ ଯାତ୍ରାରେ ଅସମ୍ଭବ ଭିଡ଼: ଯୋଗଦେଲେ ବାଚସ୍ପତି ଓ ମାନ୍ୟଗଣ୍ୟ ବ୍ୟକ୍ତି

ରିପୋର୍ଟ- ମାଗୁଣି ମିଶ୍ର

 

ଭଞ୍ଜନଗର:ଭଞ୍ଜନଗରର ପ୍ରସିଦ୍ଧ ଐତିହାସିକ ଠାକୁରାଣୀ ଯାତ୍ରା ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଶ୍ରଦ୍ଧାଳୁଙ୍କ ସମାଗମରେ ସହର ଜନସମୁଦ୍ରରେ ପରିଣତ ହୋଇଛି। ଯାତ୍ରାର ପଞ୍ଚଦଶ ଦିବସ ଅବସରରେ ମଙ୍ଗଳବାର ସନ୍ଧ୍ୟାରେ ମା’ ବାଗଦେବୀ ଏବଂ ମା’ ଠାକୁରାଣୀଙ୍କ ନଗର ପରିକ୍ରମା ଦେଖିବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟିଥିଲା। ମିନା ବଜାର ସାଙ୍ଗକୁ ଯାତ୍ରା କମିଟି ପକ୍ଷରୁ ପ୍ରସ୍ତୁତ କବିସମ୍ରାଟ ରଙ୍ଗମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମର ଭରପୂର ମଜା ନେଉଛନ୍ତି ଜନସାଧାରଣ। ଏହି ଅବସରରେ ଆୟୋଜିତ ଭବ୍ୟ ସାଂସ୍କୃତିକ ସନ୍ଧ୍ୟାରେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯାତ୍ରା କମିଟି ପକ୍ଷରୁ ପ୍ରସ୍ତୁତ ଏକ ସ୍ମରଣିକାକୁ ଉନ୍ମୋଚନ କରିଥିଲେ।

ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଉପଜିଲ୍ଲାପାଳ ଉମାଶଙ୍କର ବେହେରା ,ଉନ୍ନୟନ ପରିଷଦ ଅଧ୍ୟକ୍ଷ ନୀଳମାଧବ ପାତ୍ର,ଓ ପୌରପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଅତିଥି ଭାବେ ଯୋଗ ଦେଇଥିଲେ। ନିଜ ବକ୍ତବ୍ୟରେ ବାଚସ୍ପତି ଶ୍ରୀମତୀ ପାଢ଼ୀ ଘୁମୁସର ମାଟିର ବୀରତ୍ୱ ଓ ସଂସ୍କୃତି ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ବିପ୍ଳବୀ ବୀର ଚକରା ବିଷୟୀଙ୍କ ଭଳି ଯୋଦ୍ଧା ଓ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟକୃତି ପାଇଁ ଏ ମାଟି ଗର୍ବିତ; ତେବେ ଭଞ୍ଜଙ୍କ ଅନେକ ଅନାଲୋଚିତ କାଳଜୟୀ ରଚନାକୁ ସମାଜରେ ଆହୁରି ଜନାଦୃତ କରିବାର ଆବଶ୍ୟକତା ରହିଛି। ବିଧାୟକ ଶ୍ରୀ ନାୟକ ମଧ୍ୟ ଭଞ୍ଜନଗରର ଅତୀତ ଗାରିମାକୁ ବଜାୟ ରଖିବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ।

କାର୍ଯ୍ୟକ୍ରମର ଶେଷ ଭାଗରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଲୋକନୃତ୍ୟ ଦଳ ଏବଂ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରାଯାଇଥିଲା। ଯାତ୍ରା କମିଟିର କାର୍ଯ୍ୟକାରୀ ଉପସଭାପତି ବିଷ୍ଣୁ ପ୍ରସାଦ ପ୍ରଧାନ, ଧିରେଶ କୁମାର ମହାନ୍ତି, ସାଧାରଣ ସମ୍ପାଦକ ସୁଧିର ରଞ୍ଜନ ବେହେରା ପ୍ରମୁଖ ଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ। ମା’ଙ୍କ ଆଗମନରେ ସମଗ୍ର ସହର ଏବେ ଉତ୍ସବମୁଖର ହୋଇ ଉଠିଛି।

Leave a Reply

Your email address will not be published. Required fields are marked *

और पढ़ें