ବ୍ୟୁରୋ ରିପୋର୍ଟ
ଭୁବନେଶ୍ୱର-ରାଜଧାନୀ ଭୁବନେଶ୍ୱରର ଇନଫୋଭ୍ୟାଲି ଥାନା ଅଞ୍ଚଳରେ ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ତାଙ୍କ ପ୍ରେମିକ ଓ ଅନ୍ୟ ତିନି ବନ୍ଧୁ ମିଶି ଗଣଦୁଷ୍କର୍ମ କରିବା ଭଳି ଏକ ଅମାନବୀୟ ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ସୂଚନା ଅନୁଯାୟୀ, ଅଭିଯୁକ୍ତ ଶୁଭଙ୍କର ପାଢ଼ୀ ପାଖାପାଖି ବର୍ଷେ ହେବ ପୀଡ଼ିତା ଇଞ୍ଜିନିୟରିଂ ଛାତ୍ରୀଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ । ତେବେ ଏହି ପବିତ୍ର ସମ୍ପର୍କକୁ ଅସ୍ତ୍ର କରି ଶୁଭଙ୍କର ଏକ ଜଘନ୍ୟ ଷଡ଼ଯନ୍ତ୍ର ରଚିଥିଲେ ଏବଂ ଗତ ଏପ୍ରିଲ ମାସରେ ଏକ ଭୋଜିର ବାହାନା କରି ଛାତ୍ରୀଜଣଙ୍କୁ ନିଜ ରୁମ୍କୁ ଡାକିଥିଲେ, ଯେଉଁଠାରେ ପୂର୍ବରୁ ତାଙ୍କର ତିନି ସାଙ୍ଗ ସିପୁନ ବେହେରା, ରତିରଞ୍ଜନ ତରାଇ ଏବଂ ରଞ୍ଜନ ବେହେରା ମଦ୍ୟପାନର ଆସର ଜମାଇଥିଲେ। ସେଠାରେ ଅଭିଯୁକ୍ତମାନେ ଛାତ୍ରୀଙ୍କୁ ଜବରଦସ୍ତି ନିଶାଦ୍ରବ୍ୟ ପିଆଇ ନିଶାସକ୍ତ କରିବା ପରେ ଜଣକ ପରେ ଜଣେ ତାଙ୍କ ସହ ବର୍ବରତା ପ୍ରଦର୍ଶନ କରି ଗଣଦୁଷ୍କର୍ମ କରିଥିଲେ ଏବଂ ଏହି ସମସ୍ତ କଳାକାରନାମାର ଭିଡିଓ ତଥା ଫଟୋ ମଧ୍ୟ ଉତ୍ତୋଳନ କରିଥିଲେ।
ଘଟଣା ପରେ ଅଭିଯୁକ୍ତମାନେ ସେହି ଭିଡିଓ ଭାଇରାଲ୍ କରିଦେବା ସହ ଜୀବନରୁ ମାରିଦେବାର ଧମକ ଦେଇ ପୀଡ଼ିତାଙ୍କୁ ଭୟଭୀତ କରିଥିଲେ । କିନ୍ତୁ ପରେ ଆଉ ଥରେ ରୁମ୍ କୁ ଡାକିବାରୁ ପିଡୀତା ମନା କରିଥିଲେ ଏବଂ ଅଭିଯୁକ୍ତ ମାନେ ଭିଡିଓ ଭାଇରାଲ କରିବାର ଧମକ ମଧ୍ୟ ଦେଇଥିଲେ ।
ଉପାୟଶୂନ୍ୟ ହୋଇ ଛାତ୍ରୀଜଣଙ୍କ ନିଜ ପରିବାରକୁ ସବୁ କଥା ଜଣାଇବା ପରେ ଥାନାରେ ଏତଲା ଦିଆଯାଇଥିଲା। ପୋଲିସ ତୁରନ୍ତ ତଦନ୍ତ କରି ଚାରିଜଣ ଅଭିଯୁକ୍ତ ବି.ଟେକ୍ ଛାତ୍ରଙ୍କୁ ଗିରଫ କରିବା ସହ ସେମାନଙ୍କ ମୋବାଇଲ୍ ଜବତ କରି ସେଥିରୁ ଆପତ୍ତିଜନକ ଭିଡିଓ ପ୍ରମାଣ ପାଇଛି ଏବଂ ସମସ୍ତ ଅଭିଯୁକ୍ତ ନିଜର ଦୋଷ ସ୍ୱୀକାର କରିବା ପରେ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।









