ରିପୋର୍ଟ -ବିଜୟ କୁମାର ନାୟକ
ବେଗୁନିଆପଡ଼ା-ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ଅନ୍ତର୍ଗତ ଘୋଡାପଡା ପଂଚାୟତର ଆଦିବାସୀ ଅଧ୍ୟୁଷିତ ଗ୍ରାମ କରନ୍ଦାଗଡ଼କୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡ଼ିଓ) ସୁନୀଲ କୁମାର ସାମନ୍ତ ଗସ୍ତ କରି ସ୍ଥାନୀୟ ଲୋକଙ୍କ ସମସ୍ୟା ବୁଝିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଗ୍ରାମବାସୀଙ୍କ ଜୀବନ ଜୀବିକା, ଖାଦ୍ୟପେୟ, ଗମନାଗମନ, ସ୍ୱାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ବିଶେଷ କରି ପାହାଡ଼ ଉପରେ ଅବସ୍ଥିତ ଏହି ଗ୍ରାମରେ ଖରାଦିନେ ଜଳସ୍ତର ହ୍ରାସ ପାଉଥିବାରୁ ବୋରୱେଲଗୁଡ଼ିକ ଅଚଳ ହୋଇପଡ଼ୁଛି, ଯାହା ଫଳରେ ପାନୀୟ ଜଳର ଘୋର ସଙ୍କଟ ଦେଖାଦେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାସହ ଗ୍ରାମ ଭିତର ରାସ୍ତାର ଅବସ୍ଥା ମଧ୍ୟ ଶୋଚନୀୟ ହୋଇ ରହିଛି। ବିଡ଼ିଓ ଏହି ସମସ୍ୟାଗୁଡ଼ିକର ସ୍ଥାୟୀ ସମାଧାନ ପାଇଁ ବ୍ଲକ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କରନ୍ଦାଗଡ଼ ବାସିନ୍ଦାଙ୍କ କହିବା ଅନୁଯାୟୀ, ନୂଆ ଅଧିକାରୀମାନେ ଗ୍ରାମ ପରିଦର୍ଶନ କରି କେବଳ ପ୍ରତିଶ୍ରୁତି ଦେଇ ଚାଲିଯାଉଥିବାରୁ ବର୍ଷ ବର୍ଷ ଧରି ସେମାନଙ୍କ ସମସ୍ୟା ଅପରିବର୍ତ୍ତିତ ହୋଇ ରହିଛି।









