ରିପୋର୍ଟ -ମାଗୁଣୀ ମିଶ୍ର
ଭଞ୍ଜନଗର-୦୬/୫ -ଗତ ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟ ରାଜନୀତିର ସମୀକରଣ ସଂପୂର୍ଣ୍ଣ ଭାବେ ବଦଳିଯାଇଥିଲା। ୨୪ ବର୍ଷ ପରେ ବିଜେଡିକୁ ଗାଦିଚ୍ୟୁତ କରି ବିଜେପି ସରକାର ଗଠନ କରିଥିଲା। ଉକ୍ତ ନିର୍ବାଚନରେ ଗଞ୍ଜାମ ଜିଲ୍ଲାର ବହୁ ହେଭିୱେଟ୍ ନେତା ପରାଜୟକୁ ସାମ୍ନା କରିଥିଲେ। ଇତିମଧ୍ୟରେ ନୂଆ ସରକାର ଗଠନକୁ ୨ ବର୍ଷ ବିତିବାକୁ ଯାଉଥିବା ବେଳେ ଆଗକୁ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନ ଉପରେ ସଭିଙ୍କ ନଜର ରହିଛି। ଏଥିପାଇଁ ସବୁ ରାଜନୈତିକ ଦଳର ଶିବିର ମଧ୍ୟ ଚଳଚଞ୍ଚଳ ହୋଇ ଉଠିଲାଣି। ଏଭଳି ସ୍ଥିତିରେ ନିର୍ବାଚନରେ ନୂତନ ଭୋଟରଙ୍କୁ ଯୋଡ଼ିବା ଓ ମୃତ ତଥା ଏକାଧିକ ସ୍ଥାନରେ ଥିବା ମତଦାତାଙ୍କ ନାମକୁ କାଟିବା ଭଳି କାର୍ଯ୍ୟକୁ ଭୋଟର୍ ମ୍ୟାପିଂ କାର୍ଯ୍ୟ ପ୍ରାଥମିକସ୍ତରରେ ଶେଷ ହୋଇଛି। ନୂତନ ଭୋଟର୍ ତାଲିକା ପ୍ରକାଶ ପାଇ ନଥିବା ବେଳେ ଶେଷଥର ପାଇଁ ପ୍ରକାଶ ପାଇଥିବା ଭୋଟର୍ ତାଲିକା ପର ଠାରୁ ଭୋଟ୍ ଦେବା ପାଇଁ ଯୋଗ୍ୟ ବିବେଚିତ ନୂତନ ତଥା ଯୁବ ଭୋଟରଙ୍କୁ ଯୋଡ଼ାଯାଇଛି। ଏହିକ୍ରମରେ ଭଞ୍ଜନଗର ଉପଖଣ୍ଡ ଅଧୀନରେ ରହିଥିବା ଭଞ୍ଜନଗର, ସୋରଡ଼ା ଓ ଆସିକା ନିର୍ବାଚନମଣ୍ଡଳୀରେ ୧୩ ହଜାରରୁ ଅଧିକା ମତଦାତା ନୂତନ ଭାବେ ଯୋଡ଼ି ହୋଇଛନ୍ତି। ଯେଉଁମାନେ କି ନିର୍ଣ୍ଣାୟକ ଭୂମିକା ନିର୍ବାହ କରିବା ନେଇ ଚର୍ଚ୍ଚା ଜୋର ଧରିଛି।

ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ଭଞ୍ଜନଗର ନିର୍ବାଚନମଣ୍ଡଳୀରେ ୨ ଲକ୍ଷ ୩୯ ହଜାର ୦୭୬ ଜଣ ଭୋଟର୍ ଓ ଆସିକାରେ ୨ ଲକ୍ଷ ୦୩,୩୧୬ ଜଣ ଭୋଟର୍ ରହିଛନ୍ତି। ସେହିପରି ସୋରଡ଼ା ନିର୍ବାଚନମଣ୍ଡଳୀରେ ୨ ଲକ୍ଷ ୩୭ ହଜାର ୯୫୮ ଜଣ ଭୋଟର୍ ରହିଛନ୍ତି। ଏହି ଭୋଟର୍ଙ୍କ ମଧ୍ୟରେ ତିନିଟି ନିର୍ବାଚନମଣ୍ଡଳୀରେ ନୂତନ ତାଲିକା ପ୍ରକାଶ ପାଇବା ପରେ ନୂତନ ଭାବେ ଓ ଭୋଟ ଦେବା ପାଇଁ ଯୋଗ୍ୟ ହୋଇଥିବା ଯୁବକଯୁବତୀ ମାନଙ୍କ ମଧ୍ୟରେ ୧୩ ହଜାର ୫୧୮ ଜଣ ଯୋଡ଼ି ହୋଇଛନ୍ତି। ଭଞ୍ଜନଗର ନିର୍ବାଚନମଣ୍ଡଳୀରେ ୫୦୬୧ ଜଣ ନୂଆ ଭୋଟର୍, ଆସିକାରେ ୩୬୫୩ ଓ ସୋରଡ଼ା ନିର୍ବାଚନମଣ୍ଡଳୀରୁ ୪୮୯୪ ଜଣ ଭୋଟର ତାଲିକାରେ ଯୋଡ଼ି ହୋଇଛନ୍ତି। ଯେଉଁମାନେ ପ୍ରଥମ ଥର ପାଇଁ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବେ। ଅନ୍ୟପଟେ ଏହାମଧ୍ୟରେ ସଂପୂର୍ଣ୍ଣ ସ୍ଥାନାନ୍ତର, ମୃତ ତଥା ଏକାଧିକ ସ୍ଥାନରେ ଥିବା ଲୋକଙ୍କ ନାମକୁ ଭୋଟର ତାଲିକାରୁ ହଟାଯାଇଛି। ଭଞ୍ଜନଗରରୁ ୯୩୭୧ ଜଣ, ଆସିକାରୁ ୫୭୪୭ ଓ ସୋରଡ଼ାରୁ ୬୮୭୭ ଜଣଙ୍କ ନାମ ଏହି ପ୍ରକ୍ରିୟାରେ କଟାଯାଇଥିବା ସୂଚନା ମିଳିଛି। ବିଗତ ନିର୍ବାଚନ ଗୁଡ଼ିକରେ ସାମାଜିକ ଗଣମାଧ୍ୟମକୁ ପ୍ରାର୍ଥୀ ଓ ଦଳୀୟ କର୍ମୀମାନେ ପ୍ରାଧାନ୍ୟ ଦେବା ସହ ପ୍ରଚାରରେ ଏହାକୁ ପ୍ରମୁଖ ଆୟୁଧ ଭାବେ ଗ୍ରହଣ କରିଆସୁଥିବା ଦେଖିବାକୁ ମିଳିଛି। ସବୁ କ୍ଷେତ୍ରରେ ୟୁଟ୍ୟୁବ୍ ଓ ଫେସବୁକ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ସୋସିଆଲ୍ ମିଡ଼ିଆକୁ ବ୍ୟବହାର କରାଯାଉଛି। ବିଶେଷକରି ଯୁବପିଢ଼ିଙ୍କ ମଧ୍ୟରେ ସାମାଜିକ ଗଣମାଧ୍ୟମର ବହୁଳ ବ୍ୟବହାର ଦେଖାଦେଉଛି। ଫଳରେ ନୂତନ ଭାବେ ଯୋଡ଼ି ହୋଇଥିବା ଏହି ଯୁବ ଭୋଟର୍ ନିର୍ଣ୍ଣାୟକ ଭୂମିକା ନେଇ ପାରନ୍ତି ବୋଲି ମତପ୍ରକାଶ ପାଇଛି।









