ସୁଧୀର ହତ୍ୟାକାଣ୍ଡ: କ୍ରାଇମ୍ ସିନ୍ ରିକ୍ରିଏସନ୍‌ରେ ସାମ୍ନାକୁ ଆସିଲା ରୋମହର୍ଷଣକାରୀ ସତ୍ୟ; ଭିତରେ ଅଛି କି ରହସ୍ୟ !!!!

ବ୍ୟୁରୋ-ରିପୋର୍ଟ

ବ୍ରହ୍ମପୁର -ବ୍ୟୁରୋ-ବ୍ରହ୍ମପୁର ଅଞ୍ଚଳର ପ୍ରତିଷ୍ଠିତ ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ରଙ୍କ ଅପହରଣ ଓ ନିର୍ମମ ହତ୍ୟା ଘଟଣା ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ପୋଲିସ ହାତରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ନେଇ ଚାଲିଥିବା ତଦନ୍ତ ପ୍ରକ୍ରିୟାରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ଲୋକଲୋଚନକୁ ଆସିଛି।ଗତକାଲି ବଡ଼ଗାଁ ଓ ବାଘୁଆ ଡ୍ୟାମ୍ ଅଞ୍ଚଳରେ ପୋଲିସ ପକ୍ଷରୁ କରାଯାଇଥିବା ସିନ୍ ରିକ୍ରିଏସନ୍ ସମୟରେ ୯ ଜଣରୁ ୫ ଜଣ ଅଭିଯୁକ୍ତ କିଭଳି ଏହି ସାରା କାଣ୍ଡ ଭିଆଇଥିଲେ, ତାର ପୁରା ଚିତ୍ର ସ୍ପଷ୍ଟ ହୋଇଛି।

ତଦନ୍ତରୁ ଜଣାପଡ଼ିଛି ଯେ,ଅଭିଯୁକ୍ତମାନେ ବହୁ ପୂର୍ବରୁ ସୁଧୀରଙ୍କ ଗତିବିଧି ଉପରେ ନଜର ରଖିଥିଲେ। ବଡ଼ଗାଁ ନିକଟସ୍ଥ ଏକ ନିଛାଟିଆ ଜଙ୍ଗଲ ମଧ୍ୟରେ ଅଭିଯୁକ୍ତମାନେ ସୁଧୀରଙ୍କୁ ଅପହରଣ କରିବା ପରେ ସେଠାରେ ତାଙ୍କୁ ଅତି ଅମାନୁଷିକ ଭାବେ ନିର୍ଯାତନା ଦେଇ ହତ୍ୟା କରିଥିଲେ। କେବଳ ସେତିକି ନୁହେଁ, ପ୍ରମାଣ ନଷ୍ଟ କରିବା ପାଇଁ ଶବକୁ ବାଘୁଆ ଡ୍ୟାମ୍ ରେ ଗନ୍ ଫୋଫଡା ଯାଇଥିବା ପୋଲିସ ଜାଣିବାକୁ ପାଇଛି।ବୁଗୁଡା ରାମପାଦ ଜଙ୍ଗଲରେ ସୁଧୀରଙ୍କ ଜୀବନ ବାଜି ଲାଗିଥିବା ବେଳେ ଅପରାଧୀ ମାନେ ଅତି କଠୋର ହୋଇଯାଇଥିଲେ ।ପୋଲିସ ସାଇଣ୍ଟିଫିକ୍ ଟିମ୍ ଏବଂ ଡଗ୍ ସ୍କ୍ୱାଡ୍ ସହାୟତାରେ ସେହି ସ୍ଥାନଗୁଡ଼ିକରୁ କିଛି ଗୁରୁତ୍ୱପୂର୍ଣ୍ଣ ସୁରାକ ସଂଗ୍ରହ କରିଛି, ଯାହା ଅଦାଲତରେ ପ୍ରମାଣ ଭାବେ ବେଶ୍ ସହାୟକ ହେବ।

ଏହି ହତ୍ୟାକାଣ୍ଡ ପଛରେ ପ୍ରକୃତ କାରଣ କ’ଣ, ସେ ନେଇ ଚର୍ଚ୍ଚା ଜୋର ଧରିଛି। ସୁଧୀରଙ୍କ ପରିବାର ପକ୍ଷରୁ ଏହାକୁ ଏକ ବ୍ୟବସାୟିକ କିମ୍ବା ପୂର୍ବ ପ୍ରସ୍ତୁତ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି କୁହାଯାଉଥିବା ବେଳେ, ପୋଲିସ କିନ୍ତୁ ଅଭିଯୁକ୍ତଙ୍କ ବୟାନକୁ ଆଧାର କରି ଏହା ପଛରେ ଏକ ପ୍ରେମ ବ୍ୟାପାର କିମ୍ବା ବ୍ୟକ୍ତିଗତ ଆକ୍ରୋଶ ରହିଥାଇପାରେ ବୋଲି ମଧ୍ୟ ସନ୍ଦେହ କରୁଛି। ତେବେ ଘଟଣାରେ ଆଉ କିଛି ବଡ଼ ମୁଣ୍ଡ ସଂପୃକ୍ତ ଅଛନ୍ତି କି ବୋଲି ପୋଲିସ ସନ୍ଦେହ କରୁଛି ।ଆଜି ଅଭିଯୁକ୍ତମାନଙ୍କ ଦିନିଆ ରିମାଣ୍ଡ ଅବଧି ଶେଷ ହେଉଛି।

 

 

 

 

 

 

ତଦନ୍ତକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରିମାଣ୍ଡ ସମୟରେ ଅଭିଯୁକ୍ତମାନେ ଅନେକ ନୂଆ ନାମ ପ୍ରକାଶ କରିଛନ୍ତି। ଯଦି ପୋଲିସକୁ ଅଧିକ କିଛି ତଥ୍ୟ ଦରକାର ହୁଏ, ତେବେ ରିମାଣ୍ଡ ଅବଧି ବଢ଼ାଇବା ପାଇଁ ପୁଣି କୋର୍ଟରେ ଆବେଦନ କରାଯାଇପାରେ।ସୁଧୀର ପାତ୍ର ଜଣେ ପରୋପକାରୀ ଏବଂ ଶାନ୍ତ ସ୍ୱଭାବର ବ୍ୟକ୍ତି ଭାବେ ପରିଚିତ ଥିଲେ। ତାଙ୍କର ଏଭଳି ବିୟୋଗ ସାରା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ସ୍ଥାନୀୟ ବାସିନ୍ଦା ଏବଂ ବ୍ୟବସାୟୀ ସଂଘ ପକ୍ଷରୁ ସମସ୍ତ ଅଭିଯୁକ୍ତଙ୍କୁ ଯଥାଶୀଘ୍ର କଠୋରରୁ କଠୋର ଦଣ୍ଡ ପ୍ରଦାନ କରିବାକୁ ଦାବି ହୋଇଛି।ଅପହରଣ ଦିନର ସିସିଟିଭି ଫୁଟେଜ୍ ଏବଂ କଲ୍ ଡିଟେଲ୍ସ ଉପରେ ପୋଲିସର ନଜର ରହିଛି ।ପୋଲିସ ଏବେ ଅଭିଯୁକ୍ତଙ୍କ ମୋବାଇଲ୍ ଡାଟା ଓ ଅନ୍ୟାନ୍ୟ ଯୋଗାଯୋଗର ମାଧ୍ୟମକୁ ଯାଞ୍ଚ କରୁଛି, ଯାହାଦ୍ୱାରା ହତ୍ୟାକାଣ୍ଡର ପୂରା ଷଡ଼ଯନ୍ତ୍ର ପଛରେ ଥିବା ଅନ୍ୟ କିଛି ରହସ୍ୟ ଉପରୁ ପରଦା ହଟିପାରିବ ।

Leave a Reply

Your email address will not be published. Required fields are marked *

और पढ़ें