ଭଞ୍ଜନଗରରେ ଆଧ୍ୟାତ୍ମିକ ଶିହରଣ: ଐତିହାସିକ ଠାକୁରାଣୀ ଯାତ୍ରା ଆରମ୍ଭ, ଶଗଡ଼ରେ ବସି ବାପଘରକୁ ଆସିଲେ ମା’ ବ୍ୟାଘ୍ରଦେବୀ

ରିପୋର୍ଟ -ମାଗୁଣୀ ମିଶ୍ର 

ଭଞ୍ଜନଗର-୨୭/୪-ଗଞ୍ଜାମ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ‘ଐତିହାସିକ ଠାକୁରାଣୀ ଯାତ୍ରା’ ଭଞ୍ଜନଗର ସହରରେ ପୂର୍ଣ୍ଣ ରୀତିନୀତି ସହ ଶୁଭାରମ୍ଭ ହୋଇଛି। ଦୀର୍ଘ ଦିନର ଅପେକ୍ଷା ପରେ ରବିବାର ଦିନ ସମଗ୍ର ସହର ଏକ ଉତ୍ସବମୁଖର ପରିବେଶରେ ପରିଣତ ହୋଇଥିବା ବେଳେ ଘୁମୁସରର ଅଧିଷ୍ଠାତ୍ରୀ ଦେବୀ ମା’ ବ୍ୟାଘ୍ରଦେବୀଙ୍କ ଆବାହନକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅପୂର୍ବ ଶିହରଣ ଦେଖିବାକୁ ମିଳିଛି।

ଯାତ୍ରା କମିଟି ସଭାପତି ରାଜେନ୍ଦ୍ର ବିଷୋୟୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ବିଶାଳ ପ୍ରତିନିଧି ଦଳ ସକାଳୁ ପାରମ୍ପରିକ ହଳ ଶଗଡ଼ ଧରି କୁଲାଡ଼ ଗଡ଼ ଅଭିମୁଖେ ଯାତ୍ରା କରିଥିଲେ। ସେଠାରେ ଦେବୀଙ୍କ ଶକ୍ତିପୀଠରେ ହୋମ, ଯଜ୍ଞ ଓ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ଯାତ୍ରା କମିଟିର ମୁଖ୍ୟ ପୁରୋଧା ତଥା ଉପଜିଲ୍ଲାପାଳ ଉମାଶଙ୍କର ବେହେରା ସମସ୍ତ ରୀତିନୀତି ସମ୍ପନ୍ନ କରିବା ପରେ ମା’ଙ୍କ ମସ୍ତକରୁ ଆଜ୍ଞାମାଳ ଖସିଥିଲା, ଯାହା ଯାତ୍ରା ଆରମ୍ଭର ଶୁଭ ସଙ୍କେତ ଦେଇଥିଲା। ଏହାପରେ ମା’ଙ୍କ ଚଳନ୍ତି ପ୍ରତିମାଙ୍କୁ ଏକ ସୁସଜ୍ଜିତ ଶଗଡ଼ରେ ବିଜେ କରାଯାଇ କୁଲାଡ଼ ଗ୍ରାମ ପରିକ୍ରମା ପରେ ଭଞ୍ଜନଗର ଅଭିମୁଖେ ଅଣାଯାଇଥିଲା। ପ୍ରାୟ ୮ କିମି ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ଭକ୍ତ ମା’ଙ୍କୁ ପୁଷ୍ପବୃଷ୍ଟି କରି ସ୍ୱାଗତ କରିଥିଲେ ।

ସନ୍ଧ୍ୟା ସମୟରେ ଶାନ୍ତନୁ କୁମାର ଦାସଙ୍କ ପକ୍ଷରୁ ପରମ୍ପରା ମୁତାବକ ମା’ଙ୍କୁ ‘ଅଧର ପଣା’ ଭୋଗ ଲାଗି କରାଯାଇଥିଲା। ଏହାପରେ ଉପଜିଲ୍ଲାପାଳ ନିଜ ପତ୍ନୀଙ୍କ ସହ ମା’ଙ୍କୁ ସ୍ୱହସ୍ତରେ ଧରି ଚାଲି ଚାଲି ଯାତ୍ରାସ୍ଥଳକୁ ଆଣିଥିଲେ।

ଅପରପକ୍ଷରେ, ମା’ ଠାକୁରାଣୀଙ୍କ ମସ୍ତକରୁ ଫୁଲ ଖସି ଚାଙ୍ଗୁଡ଼ିରେ ପଡ଼ିବା ପରେ ତାଙ୍କୁ ମଧ୍ୟ ଏକ ବିଶାଳ ପଟୁଆରରେ ଅସ୍ଥାୟୀ ମନ୍ଦିରକୁ ନିଆଯାଇଥିଲା। ଦେଶୀବେହେରା ପରିବାର ପକ୍ଷରୁ ମା’ଙ୍କୁ ଆଜ୍ଞାମାଳ ଦିଆଯିବା ସହ ବିଶେଷ ‘ଖେଚୁଡ଼ି ଭୋଗ’ (ମୁଗଡାଲି ଓ ହଳଦୀରେ ପ୍ରସ୍ତୁତ) ଅର୍ପଣ କରାଯାଇଥିଲା। ପିତଳ ଗ୍ରାମର ଦାମଲା ସମ୍ପ୍ରଦାୟର ସେବକମାନେ ନିଜ କୁଳ ପରମ୍ପରା ଅନୁଯାୟୀ ଶୁଦ୍ଧି ପୂଜା ସମ୍ପନ୍ନ କରିଥିଲେ।

ଯାତ୍ରାକୁ ଅଧିକ ରଙ୍ଗୀନ କରିବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ କଳାକାର ଦଳ ସାମିଲ ହୋଇଥିଲେ ।

କଳାହାଣ୍ଡିର କଟ୍ଟାପା,କୋରାପୁଟର ‘ଅବତାର ଗ୍ରୁପ୍’ର ଆଦିବାସୀ ନୃତ୍ୟ ସହ ସମ୍ବଲପୁରୀ ଢାପ୍ ଓ ଦୁଲ୍‌ଦୁଲି ବାଦ୍ୟରେ ସହର ପ୍ରକମ୍ପିତ ହୋଇଥିଲା। ପୁରୀର ପ୍ରସିଦ୍ଧ ‘ସାହିଯାତ’,ବ୍ୟାଟିଂ,ଘଣ୍ଟ ବାଦ୍ୟ ଏବଂ ଭଞ୍ଜନଗରର ପାରମ୍ପରିକ ‘ପଶୁ ମୁଖା ନୃତ୍ୟ’ ସହରବାସୀଙ୍କୁ ବିମୋହିତ କରିଥିଲା।

କଟକ ଓ ସାଲେପୁରର କାରିଗରଙ୍କ ଦ୍ୱାରା ନିର୍ମିତ ବାଜି ସହ ଆନ୍ଧ୍ରପ୍ରଦେଶରୁ ଆସିଥିବା ସ୍ୱତନ୍ତ୍ର ଆତସବାଜି ରାତିର ଆକାଶକୁ ଆଲୋକିତ କରିଥିଲା। ହନୁମାନ ସ୍ୱେଚ୍ଛାସେବୀ ଯୁବକ ସଂଘ ପକ୍ଷରୁ ସୁରକ୍ଷା ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଥିଲା।

ଯାତ୍ରା କମିଟିର ମୁଖ୍ୟ ଉପଦେଷ୍ଟା ତଥା ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, କାର୍ଯ୍ୟକାରୀ ସଭାପତି ବିଷ୍ଣୁ ପ୍ରସାଦ ପ୍ରଧାନ, ଉପସଭାପତି ମୁରଲୀଧର ପଣ୍ଡା, ସଂଗଠନ ସମ୍ପାଦକ ପ୍ରମୋଦ କୁମାର ଦଳବେହେରା, ସୁଶାନ୍ତ ମହାପାତ୍ର ଏବଂ ସମ୍ପାଦକ ସୁଧୀର ରଞ୍ଜନ ବେହେରାଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳିତ ହେଉଛି।

ପ୍ରଚଣ୍ଡ ଗ୍ରୀଷ୍ମ ଓ ଗୁଳୁଗୁଳି ସତ୍ତ୍ୱେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ପାନୀୟ ଜଳ ଓ ବିଶ୍ରାମର ବ୍ୟବସ୍ଥା ହୋଇଛି। ଏସଡିପିଓ ଡ. ଦୀପକ କୁମାର ମିଶ୍ର ଏବଂ ଥାନାଧିକାରୀ ଜୀବନାନନ୍ଦ ଜେନାଙ୍କ ତତ୍ତ୍ୱାବଧାନରେ ପୋଲିସ ବାହିନୀ ଓ ସ୍ୱେଚ୍ଛାସେବୀମାନେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ମୁତୟନ ଅଛନ୍ତି। ମା’ ଏବେ ଅସ୍ଥାୟୀ ପୀଠରେ ବିଜେ କରିଛନ୍ତି, ଯେଉଁଠାରେ ଆଗାମୀ ଦିନମାନଙ୍କରେ ଭକ୍ତମାନେ ଦର୍ଶନର ସୁଯୋଗ ପାଇବେ।ପ୍ରକାଶ ଥାଉକି ଏହି ଯାତ୍ରା ଆଗାମୀ ଏକ ମାସ ଧରି ଚାଲୁ ରହିବ ।ଏହି ସମୟରେ ବିଭିନ୍ନ ପ୍ରକାରର ଅପେରା, ଯାତ୍ରା, ସର୍କସ, ମୀନା ବଜାର ଓ ମାଁ ଙ୍କ ନଗର ପରିକ୍ରମା ଚାଲୁ ରହିବ । ଜେ

 

Leave a Reply

Your email address will not be published. Required fields are marked *

और पढ़ें