ରିପୋର୍ଟ -ଡ. କୁମୁଦ ଚନ୍ଦ୍ର ବେହେରା
ବୁଗୁଡ଼ା:ବାଙ୍କେଶ୍ବରୀଙ୍କ ପୀଠରେ ବୁଗୁଡ଼ା ବ୍ଲକ କଂଗ୍ରେସ ତରଫରୁ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ସଂଗଠନକୁ ସୁଦୃଢ କରିବା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ କଂଗ୍ରେସ ସଭାପତି ଜାନକୀବଲ୍ଲଭ ରାଉତଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ବ୍ଲକ ଓ ନଗର କଂଗ୍ରେସ କମିଟିର ସଦସ୍ୟମାନେ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ l ଆଗାମୀ ପଞ୍ଚାୟତ ନିର୍ବାଚନରେ ବ୍ଲକର ସମସ୍ତ ପଞ୍ଚାୟତରେ ଦଳ ପକ୍ଷରୁ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ଦିଆଯିବ ବୋଲି ଏହି ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି।
ଏହି ସାଂଗଠନିକ ବୈଠକରେ ବିଶେଷ କରି ତୃଣମୂଳ ସ୍ତରର ରଣନୀତି ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା। ବୁଥ୍ ସ୍ତରରେ ଦଳୀୟ କର୍ମୀମାନଙ୍କୁ ଅଧିକ ସଂଗଠିତ କରାଯାଇ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମରେ ସାମିଲ କରାଇବା ସହ ସେମାନଙ୍କୁ ନିଜର ହକ୍ ଓ ଅଧିକାର ପାଇଁ ଅଙ୍ଗୀକାରବଦ୍ଧ କରାଇବା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି। ନିର୍ବାଚନ ଜିତିବା ପାଇଁ ଏବେଠାରୁ କର୍ମୀମାନେ କିପରି ଲୋକଙ୍କ ସୁଖ-ଦୁଃଖରେ ସାମିଲ ହେବେ, ସେ ନେଇ ଦିଗଦର୍ଶନ ଦିଆଯାଇଥିଲା।
ଉକ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଧିବକ୍ତା ସୁଜିତ୍ କୁମାର ସ୍ୱାଇଁ, ସୁବ୍ରତ କୁମାର ପଟ୍ଟନାୟକ ଏବଂ ସୀମାଞ୍ଚଳ ଖଟେଇ ପ୍ରମୁଖ ଯୋଗଦେଇଥିଲେ। ସେମାନେ ନିଜ ନିଜ ବକ୍ତବ୍ୟରେ ସଂଗଠନକୁ ଅଧିକ ମଜବୁତ କରିବା ସହ ଆଗାମୀ ନିର୍ବାଚନରେ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ।









