ଦୁଇ ବନ୍ଧୁକ, ୩ ଜୀବନ୍ତ ଗୁଳି ଜବତ : ୫ ଗିରଫ

ରିପୋର୍ଟ-ମାଗୁଣୀ ମିଶ୍ର

ଭଞ୍ଜନଗର : ଭଞ୍ଜନଗର ପୋଲିସ ଶୁକ୍ରବାର ବାରୁଡ଼ା ଗ୍ରାମର ଏକ ଗଣ୍ଡଗୋଳ ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ବିଡ଼ିପୁରର ଶତ୍ରୁଘ୍ନ ସ୍ୱାଇଁ,ରାଜେନ୍ଦ୍ର ନାୟକ, ଅନିଲ ନାୟକ, ରିତେଶ ସିଂ ଓ ଲିଟୁ ସାମନ୍ତରା।

ଏଥିସହ ପୋଲିସ ସେମାନଙ୍କ ଠାରୁ ୨ ବନ୍ଧୁକ, ୩ ଜୀବନ୍ତ ଗୁଳି, ୨ ଟି ବାଇକ ସମେତ ଅନ୍ୟାନ୍ୟ ଜିନିଷ ଜବତ କରିଛି। ଏନେଇ ଭଞ୍ଜନଗର ଥାନାରେ ୫୭୧/୨୬ ରେ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ଶତ୍ରୁଘ୍ନଙ୍କ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ୧୪ ଟି ମାମଲା ରହିଛି। ଅନ୍ୟ ଅଭିଯୁକ୍ତମାନଙ୍କ ନାମରେ ମଧ୍ୟ ଏକାଧିକ ମାମଲା ଥିବା ଆଶଙ୍କା କରାଯାଉଛି। ଘଟଣାରୁ ପ୍ରକାଶ ଯେ,ଗତ ୯ ତାରିଖ ଦିନ ଅଭିଯୁକ୍ତ ମାନେ ବାରୁଡ଼ା ଗ୍ରାମକୁ ଯାଇ ସମ୍ପୃକ୍ତ ଗ୍ରାମର ଏସକେ ସାହୁ ଏବଂ ତାଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ। ଏଥିସହ ଘରଦ୍ୱାର ଭଙ୍ଗାରୁଜା କରିଥିଲେ। ଗ୍ରାମ ଦାଣ୍ଡରେ ଅଭିଯୁକ୍ତମାନେ ଖୋଲାଖୋଲି ଭାବେ ବନ୍ଧୁକ ଏବଂ ଅନ୍ୟାନ୍ୟ ମାରଣାସ୍ତ୍ର ଧରି ଆତଙ୍କ ଚଳାଇଥିଲେ। ଗ୍ରାମବାସୀ ଭୟରେ ଏନେଇ ପ୍ରତିବାଦ ମଧ୍ୟ କରି ପାରିନଥିଲେ। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଆଜି ଗିରଫ କରିଛି ବୋଲି ଭଞ୍ଜନଗର ଏସଡିପିଓ ଡ଼. ଦୀପକ କୁମାର ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ତାହା ପ୍ରକାଶ କରିଛନ୍ତି।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଥାନାଧିକାରୀ ଜୀବନାନନ୍ଦ ଜେନା,ଏସଆଇ ସମୀର କୁମାର ସେଠୀ, ଲକ୍ଷ୍ମୀଧର ମହାନ୍ତି ଓ ଜ୍ୟୋସ୍ନାରାଣୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଏସଡିପିଓ ମିଶ୍ର କହିଥିଲେ ଯେ ବନ୍ଧୁକ ସଂସ୍କୃତି ବିଶ୍ୱାସ ରଖୁଥିବା ଅପରାଧୀମାନଙ୍କୁ ଭଞ୍ଜନଗର ଉପଖଣ୍ଡରେ ଦମନ କରାଯିବ। ଏନେଇ ସ୍ୱତନ୍ତ୍ର ଅଭିଯାନ ଚାଲିଛି ବୋଲି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

और पढ़ें