ବେଲଗୁଣ୍ଠା-୧୩/୬-ଘୁମୁସର ଉତ୍ତର ବନଖଣ୍ଡ ଡିଏଫଓ ଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶ ଓ ମାର୍ଗଦର୍ଶନରେ କେନ୍ଦ୍ରୀୟ ବନ ସଂରକ୍ଷଣ ପରିସୀମାର କର୍ମଚାରୀମାନେ ଏକ ବଡ଼ଧରଣର ବେଆଇନ କାଠ ଚୋରାଚାଲାଣ ଉପରେ ଚଢ଼ାଉ କରି ସଫଳତା ହାସଲ କରିଛନ୍ତି।

ଗାଙ୍ଗପୁର ସେକ୍ସନ ଅଧୀନସ୍ଥ ଖଇରାପୁଟି ଗ୍ରାମରେ ଚାଲିଥିବା ଏହି ବେଆଇନ କାର୍ଯ୍ୟକଳାପ ଉପରେ ବନ ବିଭାଗ ପକ୍ଷରୁ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ମିଳିଥିବା ସୂଚନା ଅନୁଯାୟୀ, ଖଇରାପୁଟି ଗ୍ରାମରେ ଏକ ଟ୍ରାକ୍ଟର ଚାଳିତ ମୋବାଇଲ୍ (ପୋର୍ଟେବଲ୍) କାଠ ଚିରଟ ମେସିନ ସାହାଯ୍ୟରେ ବେଆଇନ ଭାବେ କାଠ ସାଇଜ୍ କରାଯାଉଥିଲା।

ଖବର ପାଇ ବନ ବିଭାଗ ଚଢ଼ାଉ କରି ଉକ୍ତ ଟ୍ରାକ୍ଟର ମାଉଣ୍ଟେଡ୍ ସ୍ଲାଇସିଂ ମେସିନକୁ ଜବତ କରିବା ସହ ସେଠାରୁ ପ୍ରାୟ ୦.୦୫୮ ଘନ ମିଟର (cum) ଆକାସିଆ କାଠ ମଧ୍ୟ ଜବତ କରିଛି।ଏହି ମିଳିତ ଅପରେସନରେ ଘୁମୁସର ଦକ୍ଷିଣ ବନଖଣ୍ଡର କର୍ମଚାରୀ ଏବଂ ଗାଙ୍ଗପୁର ଥାନା ପୋଲିସ ବାହିନୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ବନ ବିଭାଗ ପକ୍ଷରୁ ଏହି ଘଟଣାରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।









