ବେଲଗୁଣ୍ଠା-୨୩/୪-ଘୁମୁସର ଉତ୍ତର ବନଖଣ୍ଡ ଏବଂ ପୋଲିସ ବିଭାଗ ପକ୍ଷରୁ ଗତକାଲି ବିଳମ୍ବିତ ରାତିରେ ଏକ ମିଳିତ ଚଢ଼ାଉ କରାଯାଇ ସିଆରିମାଳା ଗ୍ରାମରେ ଚାଲିଥିବା ଏକ ବେଆଇନ କାଠ ମିଲ୍କୁ ଜବତ କରାଯାଇଛି।ଏହି ଅପରେସନରେ ବହୁ ପରିମାଣର କାଠ ସହ ଯନ୍ତ୍ରାଂଶ ଜବତ ହେବା ସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି ।
ସୂଚନା ଅନୁଯାୟୀ, ସିଆରିମାଳ ଗ୍ରାମର ଲମ୍ବୁ ତାରିଣୀ ଓରଫ୍ ନାରାୟଣ ତାରିଣୀ ନାମକ ଜଣେ ବ୍ୟକ୍ତି ନିଜ ଫାର୍ମହାଉସ୍ ମଧ୍ୟରେ ବେଆଇନ ଭାବେ ଏକ କାଠ ମିଲ୍ ଚଳାଉଥିଲେ। ଗୁପ୍ତ ସୂଚନା ଆଧାରରେ ଘୁମୁସର ଉତ୍ତର ବନଖଣ୍ଡ ଅଧିକାରୀ ଓ ପୋଲିସ ବାହିନୀ ସମନ୍ୱୟ ରକ୍ଷା କରି ଗତ ୨୩.୦୪.୨୦୨୬ ମଧ୍ୟରାତ୍ରିରେ ଏହି ଚଢ଼ାଉ କରିଥିଲେ।ଚଢ଼ାଉ ସମୟରେ ମିଲ୍ ଭିତରୁ ପ୍ରାୟ ୭ ଲକ୍ଷ ଟଙ୍କାର ସାମଗ୍ରୀ ମଧ୍ୟରେ ଗୋଟିଏ ହୋରିଜୋଣ୍ଟାଲ୍ ସ’ ଓ ବ୍ୟାଣ୍ଡ ସ’।ବେଆଇନ ଭାବେ ଗଚ୍ଛିତ ୧୮ଟି ଶାଗୁଆନ ଗଣ୍ଡି,୭୦ଟି ଶାଗୁଆନ ପଟା (ପ୍ରାୟ ୫୬.୦୧ ସିଏଫଟି) ଜବତ କରାଯାଇଛି।

ଏହି ମିଳିତ ଚଢ଼ାଉ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍, ଭଞ୍ଜନଗର ଡିଏସପି, ଘୁମୁସର ଉତ୍ତର ବନଖଣ୍ଡ ଅଧିକାରୀ, ଏସିଏଫଙ୍କ ଉପସ୍ଥିତିରେ କରାଯାଇଥିଲା। ଏଥିସହ ସେଣ୍ଟ୍ରାଲ୍, ମୁଜାଗଡ଼, ଜଗନ୍ନାଥପ୍ରସାଦ ଓ ତାରାସିଂହୀ ରେଞ୍ଜର ରେଞ୍ଜ ଅଫିସର ଏବଂ ଭଞ୍ଜନଗର ଓ ଗାଙ୍ଗପୁର ଥାନାଧିକାରୀ ପ୍ରମୁଖ ସାମିଲ ଥିଲେ। ସୁରକ୍ଷା ଦୃଷ୍ଟିରୁ ଏହି ଟିମ୍ ସହ ଏକ ପ୍ଲାଟୁନ୍ ପୋଲିସ ଫୋର୍ସ ମଧ୍ୟ ନିୟୋଜିତ ହୋଇଥିଲେ ।ଅଭିଯୁକ୍ତ ଲମ୍ବୁ ତାରିଣୀକୁ ଘଟଣାସ୍ଥଳରୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ବେଆଇନ କାଠ ମିଲ୍ ପରିଚାଳନା ସହ ଆର୍ମସ ଆକ୍ଟର ମଧ୍ୟ ଉଲ୍ଲଂଘନ ଅଭିଯୋଗରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯିବ। ବର୍ତ୍ତମାନ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି । ପ୍ରକାଶ ଥାଉ କି , ଗତକାଲି ମଧ୍ୟ ରାତ୍ରରେ ପୋଲିସ ଓ ବନବିଭାଗ ପକ୍ଷରୁ ମିଳିତ ଅପରେସନ ହୋଇଥିଲା ଯେଉଁଥିରେ କି ଗାଙ୍ଗପୁର ପୋଲିସ ମଧ୍ୟ ବହୁ ମାରଣାସ୍ତ୍ର ଜବତ କରିଛି ଏବଂ ଆଉ ଏକ ମାମଲା ରୁଜ୍ଜୁ କରି ଲମ୍ବୁ ଓ ତା ସହଯୋଗୀଙ୍କୁ ଗିରଫ କରିଛି ।









