ବେଲଗୁଣ୍ଠା-୭/୮-ଆଗାମୀ ୮୦ତମ ସ୍ୱାଧୀନତା ଦିବସ ଏବଂ ସ୍ୱାୟତ୍ତ ଶାସନ ଦିବସ – ୨୦୨୬ କୁ ମହାସମାରୋହରେ ପାଳନ କରିବା ନିମନ୍ତେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ସମ୍ମିଳନୀ କକ୍ଷରେ ଏକ ସ୍ୱତନ୍ତ୍ର ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଏନ୍ଏସି ଅଧ୍ୟକ୍ଷ ଫିରୋଜ କୁମାର ସେଠୀ ଅଧ୍ୟକ୍ଷତା କରିଥିବା ବେଳେ ସୋରଡା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିସହିତ ନିର୍ବାହୀ ଅଧିକାରୀ ବିଭୂତି ଭୂଷଣ ବେହେରା,ଯୁବ ସଂଗଠକ ଜିତେନ୍ଦ୍ର କୁମାର ନାୟକ,ସାଂସଦ ପ୍ରତିନିଧି ନାରାୟଣ ସାହୁଙ୍କ ସମେତ ପରିଷଦର କାଉନସିଲର ଓ କର୍ମଚାରୀମାନେ ଉପସ୍ଥିତ ରହି ଉତ୍ସବର ସଫଳ ଆୟୋଜନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ।

ବୈଠକର ନିଷ୍ପତ୍ତି ଅନୁଯାୟୀ, ସ୍ୱାଧୀନତା ଦିବସରେ ଏନ୍ଏସି କାର୍ଯ୍ୟାଳୟ ଏବଂ ଜି.ଟି. ହାଇସ୍କୁଲ ପଡ଼ିଆରେ ସାର୍ବଜନୀନ ପତାକା ଉତ୍ତୋଳନ କରାଯିବା ସହ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବନ୍ଧ, ବକ୍ତୃତା ଓ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହେବ। କୃତୀ ପ୍ରତିଯୋଗୀମାନଙ୍କୁ ଟ୍ରଫି, ପଦକ ଓ ମାନପତ୍ର ଦେଇ ପୁରସ୍କୃତ କରାଯିବ। ସମାରୋହରେ ମାନ୍ୟବର ସାଂସଦ ବିଧାୟକ,ଗଞ୍ଜାମ ଜିଲ୍ଲାପାଳ,ପୂର୍ବତନ ଅଧ୍ୟକ୍ଷ, ବିଶିଷ୍ଟ ନାଗରିକ ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନିମନ୍ତ୍ରଣ କରାଯିବା ପାଇଁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଛି।ଉତ୍ସବକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ମଞ୍ଚ ସାଜସଜ୍ଜା,ଆଲୋକୀକରଣ, ଶବ୍ଦ ନିୟନ୍ତ୍ରଣ,ସ୍ୱଚ୍ଛତା ଏବଂ ପରିମଳ ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯାଇଛି।କାର୍ଯ୍ୟକ୍ରମର ପରିଚାଳନା ପାଇଁ ସ୍ୱତନ୍ତ୍ର କମିଟି ଗଠନ କରାଯିବା ସହ ଆବଶ୍ୟକୀୟ ଆର୍ଥିକ ବ୍ୟୟ ଅଟକଳକୁ ମଞ୍ଜୁରୀ ପ୍ରଦାନ କରାଯାଇଛି।

ସମସ୍ତ ଆନୁସଙ୍ଗିକ ଖର୍ଚ୍ଚ ଏବଂ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସମ୍ପୂର୍ଣ୍ଣ କ୍ଷମତା ପ୍ରଦାନ କରାଯାଇଛି ବୋଲି ସୂଚନା ମିଳିଛି ।ଜନସାଧାରଣଙ୍କ ହିତ ଦୃଷ୍ଟିରୁ ବିଜ୍ଞାପିତ ଅଞ୍ଚଳ ପରିଷଦର ହୋଲଡିଂ ଟେକ୍ସ ଉପରେ ଆଲୋଚନା କରି ପଦକ୍ଷେପ ନେବାକୁ ବିଧାୟକ ଶ୍ରୀ ବିଷୋୟୀ ନିର୍ବାହୀ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।ସମସ୍ତ କର୍ମଚାରୀ ବୈଠକ ପରିଚାଳନାରେ ସହଯୋଗ କରିଥିଲେ ।ଏଥିରେ ସମସ୍ତ କାଉନସିଲର ଉପସ୍ଥିତ ଥିଲେ ।









