ବେଲଗୁଣ୍ଠା, ୨୭/୦୭: ଆଜିକାଲିର ସ୍ୱାର୍ଥପର ଦୁନିଆରେ ଜନ୍ମଦାତା ପିତା-ମାତାଙ୍କୁ ବୋଝ ମନେକରି କିଛି ସନ୍ତାନ୍ ବୃଦ୍ଧାଶ୍ରମକୁ ପଠାଇ ଦେଉଥିବା ବେଳେ, ବେଲଗୁଣ୍ଠାରେ ଦେଖିବାକୁ ମିଳିଛି ପିତୃ-ମାତୃ ଭକ୍ତିର ଏକ ଅନନ୍ୟ ଓ ଭାବପୂର୍ଣ୍ଣ ଉଦାହରଣ। ନିଜ ଜନ୍ମଦାତାଙ୍କ ସ୍ମୃତିକୁ ଅମର କରି ରଖିବା ପାଇଁ ନିଜ ଘର ସାମ୍ନାରେ ଏକ ସୁନ୍ଦର ମନ୍ଦିର ନିର୍ମାଣ କରି ବାପା-ମା’ଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି ସୁପୁତ୍ର ସୁଶାନ୍ତ।

ବେଲଗୁଣ୍ଠା ସ୍ଥିତ ରଘୁନାଥ କଲୋନୀର ବାସିନ୍ଦା ସୁଶାନ୍ତ ପ୍ରଧାନ ନିଜ ବାସଭବନ ପରିସରରେ ଏକ ମନ୍ଦିର ତୋଳିବା ସହ ଶ୍ରଦ୍ଧା ଓ ଭକ୍ତିର ସହ ପିତା-ମାତାଙ୍କ ମୂର୍ତ୍ତି ସ୍ଥାପନା କରିଛନ୍ତି। କେବଳ ସେତିକି ନୁହେଁ, ନିଜ ପିତାଙ୍କ ସ୍ମୃତିରେ ସମ୍ପୂର୍ଣ୍ଣ ସାହିର ନାମକୁ ‘ରଘୁନାଥ କଲୋନୀ’ ଭାବେ ନାମିତ କରିଛନ୍ତି। ନୟାଗଡ଼ ଜିଲ୍ଲାରୁ ସ୍ୱତନ୍ତ୍ର ଭାବେ ନିର୍ମିତ ହୋଇ ଆସିଥିବା କଳା ମୁଗୁନି ପଥରର ଏହି ଦୁଇଟି ଆକର୍ଷଣୀୟ ମୂର୍ତ୍ତିକୁ ବୈଦିକ ବିଧି ଅନୁସାରେ ପୂଜାର୍ଚ୍ଚନା କରାଯାଇ ପ୍ରତିଷ୍ଠା କରାଯାଇଥିଲା। ଏହି ଅବସରରେ ସମସ୍ତ ଗ୍ରାମବାସୀଙ୍କ ପାଇଁ ପ୍ରସାଦ ସେବନର ମଧ୍ୟ ସୁବ୍ୟବସ୍ଥା ହୋଇଥିଲା।

ପ୍ରକାଶଯୋଗ୍ୟ ଯେ, ସ୍ୱର୍ଗତ ରଘୁନାଥ ପ୍ରଧାନ ଜଣେ ଆଦର୍ଶ ଶିକ୍ଷକ ଓ ଉଦାରମନା ବ୍ୟକ୍ତିତ୍ୱ ଥିବା ବେଳେ ସ୍ୱର୍ଗତ ପ୍ରଫୁଲ୍ଲା କୁମାରୀ ପ୍ରଧାନ ଜଣେ ପରମ ଧର୍ମପରାୟଣ ମହିଳା ଭାବେ ସୁନାମ ଅର୍ଜନ କରିଥିଲେ।

ଏହି ସ୍ମରଣୀୟ ପ୍ରତିଷ୍ଠା ଉତ୍ସବରେ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିମୂର୍ତ୍ତି ଦ୍ୱୟର ଉନ୍ମୋଚନ କରିଥିଲେ। ସମ୍ମାନିତ ଅତିଥି ଭାବେ ଆସିକା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ପରିଡ଼ା, ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ, ସମିତି ସଭ୍ୟ ସୁଧାଂଶୁ ଶେଖର ପୋଲାଇ, ଜିଲ୍ଲା ପରିଷଦ ସଭ୍ୟା ଅନିମା ପରିଡ଼ା, ଗ୍ରାମ୍ୟ ଉନ୍ନୟନ ବିଭାଗର ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ କୁମାର ମହାପାତ୍ର, କାଳୁ ବରାଡ଼, ଧବଳ ଜେନା ଓ ଟୁଟୁ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ।
ଏହି ଭାବପୂର୍ଣ୍ଣ କାର୍ଯ୍ୟକ୍ରମରେ ବୋହୂ ସୁଜ୍ଞାନୀ ପ୍ରଧାନ, ନାତି ସୋହନ ପ୍ରଧାନ, ଝିଅ ନନ୍ଦିନୀ ପ୍ରଧାନ, ଜ୍ୱାଇଁ ଅମୂଲ୍ୟ ପ୍ରଧାନ, ନାତି-ନାତୁଣୀ ଆଶୁତୋଷ, ଆୟୁଷୀ, କୀର୍ତ୍ତୀଙ୍କ ସମେତ ଗ୍ରାମବାସୀ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ। ପିତା-ମାତାଙ୍କ ପ୍ରତି ସୁଶାନ୍ତଙ୍କ ଏପରି ଅତୁଳନୀୟ ଭକ୍ତି ଓ ଆଦର୍ଶ ନିଷ୍ପତ୍ତିକୁ ସ୍ଥାନୀୟ ଅଞ୍ଚଳରେ ଭୂୟସୀ ପ୍ରଶଂସା କରାଯାଉଛି।








