ବେଲଗୁଣ୍ଠା-ନବଦିନାତ୍ମକ ଲୀଳାଖେଳା ସାଙ୍ଗ କରି ନିଜର ଜନ୍ମବେଦୀ ଆଡ଼ପ ମଣ୍ଡପରୁ ବିଦାୟ ନେଇଛନ୍ତି ଭାବର ଠାକୁର କାଳିଆ ସାଆନ୍ତ। ଶ୍ରୀଗୁଣ୍ଡିଚା ମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବା ପରେ, ଗତକାଲି ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ରଥାରୂଢ଼ ହୋଇ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଛନ୍ତି। ଏହି ପବିତ୍ର ଅବସରରେ ବେଲଗୁଣ୍ଠା ସହର ସମେତ ଆଖପାଖ ବ୍ଲକ୍ର ପାଇଲିପଡ଼ା, ଗୋବରା, ମାଧବରିଡ଼ା, ବେଣୀପଲ୍ଲୀ ଏବଂ ଜୟନ୍ତୀଗଡ଼ ପ୍ରଭୃତି ଗ୍ରାମଗୁଡ଼ିକରେ ଅତ୍ୟନ୍ତ ଭକ୍ତିପୂର୍ଣ୍ଣ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ହରିବୋଲ ଓ ହୁଳହୁଳି ଧ୍ୱନିରେ ବାହୁଡ଼ା ଯାତ୍ରା ଆନନ୍ଦ ଉଲ୍ଲାସର ସହ ସମ୍ପନ୍ନ ହୋଇଯାଇଛି।

ପାଇଲିପଡ଼ାରେ ପ୍ରାତଃ ସମୟରୁ ଆଡ଼ପ ମଣ୍ଡପରେ ମଙ୍ଗଳ ଆଳତି ସହିତ ସମସ୍ତ ଦୈନନ୍ଦିନ ଦେବନୀତିକାନ୍ତି ସାଙ୍ଗ ହୋଇଥିଲା। ଏହାପରେ ସନ୍ଧ୍ୟା ୬:୦୦ ଘଣ୍ଟା ସମୟରେ ଘଣ୍ଟ, କାହାଳୀ ଓ ଆଧ୍ୟାତ୍ମିକ ବାଦ୍ୟର ଗଗନପବନ କମ୍ପିତ ସ୍ୱନ ମଧ୍ୟରେ ମହାପ୍ରଭୁଙ୍କ ଭାବପୂର୍ଣ୍ଣ ପହଣ୍ଡି ବିଜେ ଅନୁଷ୍ଠିତ ହୋଇଥିଲା। ପହଣ୍ଡି ପରେ ଶ୍ରୀ ରବୀନ୍ଦ୍ର ସାମନ୍ତ ରଥ ଉପରେ ଶ୍ରଦ୍ଧାର ସହ ଛେରା ପହଁରା ସେବା ସମ୍ପାଦନ କରିଥିଲେ। ସନ୍ଧ୍ୟା ୬:୪୫ ମିନିଟ୍ରେ ଭକ୍ତମାନେ “ଜୟ ଜଗନ୍ନାଥ” ଆକାଶଛାତି ଧ୍ୱନି ଦେଇ ଶ୍ରଦ୍ଧାର ସହ ରଥଦଡ଼ି ଟାଣିବା ଆରମ୍ଭ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ରଥକୁ ମାତ୍ର ୧୦ ମିଟର ଟଣାଯାଇ ସେଠାରେ ରଖାଯାଇଥିବା ବେଳେ ଆଜି ମହାପ୍ରଭୁଙ୍କ ପବିତ୍ର ଏକାଦଶୀ ନୀତି ସମ୍ପନ୍ନ ହେବା ପରେ ରଥକୁ ଶ୍ରୀଜଗନ୍ନାଥ ମନ୍ଦିର ନିକଟକୁ ଟଣାଯିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି।

ସେହିପରି ବେଲଗୁଣ୍ଠା ସହରର ବଡ଼ଦାଣ୍ଡ ଓ ବାଲିଡି ସାହି ରେ ବାହୁଡ଼ା ଯାତ୍ରା ଶାନ୍ତି ଶୃଙ୍ଖଳା ସହିତ ସମାପ୍ତ ହୋଇଯାଇଛି ।ଚଳିତ ଯାତ୍ରାର ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲା ମହାପ୍ରଭୁଙ୍କ ଶ୍ରୀମସ୍ତକକୁ ଶୋଭାମଣ୍ଡିତ କରିଥିବା ମନୋରମ ଟାହିୟା। ବେଲଗୁଣ୍ଠାର ବାଲିଡି ଓ ପେଣ୍ଠ ସାହିର କୁଶଳୀ କାରୀଗରଙ୍କ ଦ୍ୱାରା ନିର୍ମିତ ଏହି ସୁନ୍ଦର ଟାହିୟା ବା ଝରା, ପହଣ୍ଡି ସମୟରେ ମହାପ୍ରଭୁଙ୍କ ଝୁଲି ଝୁଲି ଆସିବା ଦୃଶ୍ୟ ସହ ମିଶି ଏକ ଅପୂର୍ବ ଆଧ୍ୟାତ୍ମିକ ଆବହାୱା ସୃଷ୍ଟି କରିଥିଲା।

ଏହି ଆକର୍ଷଣୀୟ କଳାକୃତିକୁ ଦେଖି ଉପସ୍ଥିତ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ଭାବବିହ୍ୱଳ ହୋଇ ମନ୍ତ୍ରମୁଗ୍ଧ ହୋଇପଡ଼ିଥିଲେ।ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ ଓ ଥାନାଧିକାରୀ ରେବତୀ ଶବର ଉପସ୍ଥିତ ରହି ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କରିଥିଲେ । ଏଥି ସହିତ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ ହୋଇଥିଲେ । ଆସନ୍ତା କାଲି ସମସ୍ତ ଅଞ୍ଚଳରେ ଶ୍ରୀ ଜିଉ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ।








