ରିପୋର୍ଟ -ମାଗୁଣୀ ମିଶ୍ର,
ଭଞ୍ଜନଗର:-: ତାରସିଂ ଥାନା ତଥା ଭଞ୍ଜନଗର ବ୍ଳକ ବ୍ରାହ୍ମଣପଦର ନିକଟ ଜଙ୍ଗଲରୁ ଜଣେ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ବ୍ରାହ୍ମଣପଦର ଗ୍ରାମର ହରିବନ୍ଧୁ ସାହୁ(୭୨)। ଖବର ପାଇ ପୁଲିସ ମୃତଦେହକୁ ଜବତ କରି କେସ ନମ୍ବର ୧୨/୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ହରିବନ୍ଧୁ ସାହୁ ଏକ ଗରିବ ପରିବାରର ହୋଇଥିବା ବେଳେ ଜଙ୍ଗଲରୁ ଜାଳେଣି କାଠ ସଂଗ୍ରହ କରିବାକୁ ଅନେକ ସମୟରେ ଯାଇଥାନ୍ତି। ସେ ଗତ ଗୁରୁବାର ଅର୍ଥାତ ୫ ଦିନ ପୂର୍ବେ ଜଙ୍ଗଲକୁ ଯାଇଥିଲେ। ଏହାପରେ ସେହି ଦିନ ଠାରୁ ସେ ଆଉ ଘରକୁ ଫେରି ନଥିଲେ। ପରିବାର ଓ ଗ୍ରାମର ଲୋକ ମାନେ ତାଙ୍କୁ ଜଙ୍ଗଲ ଭିତରେ ଖୋଜିବା ସହ କାଳେ ଅନ୍ୟତ୍ର କୁଆଡେ ପଳାଇଥିବେ ଭାବି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇନଥିଲେ। ପରେ ତାରସିଂ ଥାନାରେ ନିଖୋଜ ଏକ ଅଭିଯୋଗ କରିଥିଲେ। ସୋମବାର କିଛି ସ୍ଥାନୀୟ ଲୋକ ବ୍ରାହ୍ମଣପଦର ନିକଟସ୍ଥ ଜଙ୍ଗଲ ଭିତରେ ଏକ ମୃତଦେହ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ମୁହଁ ସଂପୂର୍ଣ୍ଣ କଳା କାଠ ଭଳି ଦେଖା ଯାଉଥିବା ବେଳେ ସଢି ଦୁର୍ଗନ୍ଧ ହେଉଛି। ସୂଚନା ପାଇ ତାରସିଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା। ପରେ ମୃତଦେହଟି ହରିବନ୍ଧୁ ସାହୁଙ୍କର ବୋଲି ଚିହ୍ନଟ କରାଯାଇଥିଲା। କେଉଁ ପରିସ୍ଥିତିରେ ସେ ମୃତ୍ୟୁବରଣ କଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଅତ୍ୟଧିକ ଗରମ କାରଣରୁ ଅଂଶୁଘାତର ଶିକାର କିମ୍ବା ଆକସ୍ମିକ ବଜ୍ରପାତ ଯୋଗୁ ସେ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଶ୍ରୀମତୀ ପୂଜାରୀ ପ୍ରକାଶ କରିଛନ୍ତି।









