ସ୍ୱତନ୍ତ୍ର ରିପୋର୍ଟ-ଭଞ୍ଜଭୂମି
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଘୁମୁସର ମାଟିର ବିପ୍ଳବୀ ବୀର ଚକରା ବିଷୋୟୀଙ୍କ ସାଧନା ପୀଠ ‘ଚକରାଘାଟି’ ଏବେ ପର୍ଯ୍ୟଟକଙ୍କ ପାଇଁ ପ୍ରମୁଖ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ଗାଲେରୀ ଓ ତାରସିଂ ରେଞ୍ଜ ମଧ୍ୟବର୍ତ୍ତି ଘଞ୍ଚ ଚନ୍ଦ୍ରଗିରି ଜଙ୍ଗଲ ଭିତରେ ଏହି ଐତିହାସିକ ସ୍ଥାନଟି ରହିଛି। ବ୍ରିଟିଶ ଶାସନ ବିରୋଧରେ ଲଢେଇ ସମୟରେ ବୀର ଚକରା ବିଷୋୟୀ ଏଠାରେ ନିଜର ପ୍ରଶିକ୍ଷଣ କେନ୍ଦ୍ର ଓ ଆଖଡା ସ୍ଥାପନ କରି ଯୁବକମାନଙ୍କୁ ଯୁଦ୍ଧକୌଶଳ ଶିକ୍ଷା ଦେଉଥିଲେ ଏବଂ ଏହି ଗୁପ୍ତ ସ୍ଥାନରେ ବନଦେବୀଙ୍କୁ ପୂଜାର୍ଚ୍ଚନା କରୁଥିଲେ।

ଓଡ଼ିଶାର ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଭଞ୍ଜନଗର ନିକଟରେ ଅବସ୍ଥିତ ଚକ୍ରଘାଟି (ଯାହାର ଅର୍ଥ “ଚକ ଆକୃତିର ଘାଟି”) ଏକ ଦୁର୍ଗମ ଜଙ୍ଗଲ ଓ ପାହାଡ଼ ଘେରା ଅଞ୍ଚଳ ଅଟେ। ୧୮ ୪୬ ରୁ ୧୮୫୬ ମସିହା ମଧ୍ୟରେ ସଂଘଟିତ ଐତିହାସିକ ଘୁମୁସର ବିଦ୍ରୋହ ସମୟରେ, ଏହି ଅଞ୍ଚଳ ଏବଂ ସମଗ୍ର ପୂର୍ବଘାଟ ପର୍ବତମାଳା ବ୍ରିଟିଶ ସାମ୍ରାଜ୍ୟ ବିରୁଦ୍ଧରେ କନ୍ଧ ସଂଗ୍ରାମର ମହାନ ସ୍ୱାଧୀନତା ସଂଗ୍ରାମୀ ଚକ୍ରା ବିଷୋୟୀଙ୍କର ଏକ ପ୍ରମୁଖ ରଣକ୍ଷେତ୍ର ଥିଲା। ଏହାର ଘଞ୍ଚ ଓ ଅଗମ୍ୟ ଜଙ୍ଗଲ ଯୋଗୁଁ ଚକ୍ରଘାଟିକୁ ଆଦିବାସୀ ସେନା ଏକ ପ୍ରାକୃତିକ ଦୁର୍ଗ ଏବଂ ରଣନୈତିକ ଲୁଚିବା ସ୍ଥାନ ଭାବେ ବ୍ୟବହାର କରୁଥିଲେ, ଯାହା ସେମାନଙ୍କ ପାରମ୍ପରିକ ପ୍ରଥା ଓ ବିଦ୍ରୋହକୁ ଦମନ କରିବାକୁ ଚେଷ୍ଟା କରୁଥିବା ବ୍ରିଟିଶ ବାହିନୀ ବିରୁଦ୍ଧରେ ଲଢ଼ିବାରେ ସାହାଯ୍ୟ କରିଥିଲା। ଦୀର୍ଘ ବର୍ଷ ଧରି ଅବହେଳିତ ହୋଇ ପଡ଼ିରହିଥିବା ଏହି ସାଧନା ପୀଠକୁ ବର୍ତ୍ତମାନର ଭାଜପା ସରକାର ଓ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ସ୍ୱତନ୍ତ୍ର ପରିକଳ୍ପନା ଓ ଉଦ୍ୟମରେ ଏକ ଆଧୁନିକ ପର୍ଯ୍ୟଟନ ସ୍ଥଳୀ ଭାବେ ଗଢିତୋଳିବାକୁ ପ୍ରୟାସ ଆରମ୍ଭ ହୋଇଛି।

ଏହି ଐତିହାସିକ ସ୍ଥଳୀର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରାୟ ୬ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟ କରାଯାଉଛି। ବର୍ତ୍ତମାନ ଏଠାରେ ସୁଉଚ୍ଚ ପ୍ରବେଶ ପଥ ସାଙ୍ଗକୁ ୱାଚ୍ ଟାୱାର, ଅବଜରଭେସନ ଟାୱାର୍, ପୋଖରୀ ଖନନ ଏବଂ ଠାକୁରାଣୀଙ୍କ ମନ୍ଦିରର ଉନ୍ନତୀକରଣ କରାଯାଇ ଏହାକୁ ଏକ ଆକର୍ଷଣୀୟ ଗୁମ୍ଫାର ରୂପ ଦିଆଯାଇଛି। ଏହା ସହିତ ପର୍ଯ୍ୟଟକଙ୍କ ସୁବିଧା ପାଇଁ ପାଚେରୀ, ପିଇବା ପାଣି, ସୁଦୃଶ୍ୟ ପିଣ୍ଡି, ଶୌଚାଳୟ, ଆର୍କ ବ୍ରିଜ୍, ରିଟର୍ଣ୍ଣିଂ ୱାଲ, ପାର୍କିଂ ଏରିଆ, ଟିକେଟ କାଉଣ୍ଟର, ସୋଭେନିୟର ସପ୍ ଏବଂ ଭିଭିଆଇପି କଟେଜ୍ ଭଳି ସମସ୍ତ ଆଧୁନିକ ବ୍ୟବସ୍ଥା କରାଯାଇଛି। ଉନ୍ନତିକରଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଖୁବଶୀଘ୍ର ଏହାକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରାଯିବ।

ଏହି ପୁରାତନ ଐତିହ୍ୟର ବିକାଶ ପରେ ଏହା ଗଞ୍ଜାମ ଜିଲ୍ଲାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଓ ପର୍ଯ୍ୟଟକଙ୍କ ନୂଆ ଠିକଣା ହେବାକୁ ଯାଉଛି। ବନ ବିଭାଗ ପକ୍ଷରୁ ଏହାକୁ ‘ଡେ ଟୁରିଜିମ୍’ (Day Tourism) ରେ ସାମିଲ କରାଯାଉଥିବାରୁ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ପ୍ରାକୃତିକ ପରିବେଶ ସହ ଜଙ୍ଗଲ ସଫାରିର ମଧ୍ୟ ଭରପୁର ମଜା ଉଠାଇପାରିବେ।

ଏହି ସମ୍ପୂର୍ଣ୍ଣ ପ୍ରକଳ୍ପର ସଫଳ ପରିଚାଳନା ଦାୟିତ୍ୱ ବନ ସୁରକ୍ଷା ସମିତିକୁ ନେଇ ଗଠିତ ‘ଇକୋ ଡେଭଲପମେଣ୍ଟ କମିଟି’ ହାତରେ ନ୍ୟସ୍ତ କରାଯିବ। ବର୍ତ୍ତମାନ ସୁଦ୍ଧା ଅନେକ ପର୍ଯ୍ୟଟକ ଏଠାକୁ ଆସି ବୀର ଚକରାଙ୍କ କର୍ମସ୍ଥଳୀ ବିଷୟରେ ଜ୍ଞାନ ଆହରଣ କରିବା ସହ ଜଙ୍ଗଲ ପରିବେଶରେ ବଣଭୋଜିର ଆନନ୍ଦ ନେଉଥିବା ଦେଖିବାକୁ ମିଳୁଛି।ବର୍ତ୍ତମାନ ଏହି ସ୍ଥାନରେ ସ୍ଥାନୀୟ ଆରାଧ୍ୟା ଦେବୀ ମା’ ଚକ୍ରଘାଟିଙ୍କର ଏକ ପ୍ରସିଦ୍ଧ ପୀଠ ରହିଛି ଏବଂ ଚାରିପାଖର ମନୋରମ ଜଳପ୍ରପାତ ଓ ପ୍ରାକୃତିକ ଝରଣା ଯୋଗୁଁ ଏହା ଏକ ଜଣାଶୁଣା ଇକୋ-ଟୁରିଜମ୍ (ପରିବେଶ ପର୍ଯ୍ୟଟନ)ପ୍ରକୃତି କ୍ୟାମ୍ପିଂ ସ୍ଥଳ ମଧ୍ୟ ପାଲଟିଛି।









