ବ୍ରହ୍ମପୁର -୨୩/୦୪: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ କରାପଲି ଗାଁର ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ରଙ୍କ ଅପହରଣ ଓ ହତ୍ୟା ଘଟଣାର ରହସ୍ୟ ଉନ୍ମୋଚନ କରିଛି ପୋଲିସ। ଏହି ଜଘନ୍ୟ କାଣ୍ଡର ମୁଖ୍ୟ ସୂତ୍ରଧର ସୁଧୀରଙ୍କ ନିଜ ଝିଆରୀ ବୋଲି ଜଣାପଡ଼ିଛି। ଗୋପାଳପୁର ଥାନା ପୋଲିସ ଏହି ମାମଲାରେ ସୁଧୀରଙ୍କ ପୁତୁରା ତୁଷାର କୁମାର ପାତ୍ର, ଝିଆରୀ ନିବେଦିତା ପାତ୍ର ଓ ତାଙ୍କ ପ୍ରେମିକଙ୍କ ସମେତ ମୋଟ ୯ ଜଣଙ୍କୁ ଗିରଫ କରିଛି।

ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ସୂଚନା ଅନୁଯାୟୀ,ପ୍ଲଟ ବିକ୍ରିରୁ ମିଳୁଥିବା ମୋଟା ଅଙ୍କର ଅର୍ଥ ସୁଧୀର ନିଜ ପାଖରେ ରଖୁଥିଲେ। କିଛି ମାସ ପୂର୍ବରୁ ବଡ଼ ଭାଇଙ୍କ ଦେହାନ୍ତ ପରେ ତାଙ୍କ ପରିବାରର ଆର୍ଥିକ ସ୍ଥିତି ଖରାପ ହୋଇପଡ଼ିଥିଲେ ମଧ୍ୟ ସୁଧୀର ସେମାନଙ୍କୁ ଆବଶ୍ୟକୀୟ ସାହାଯ୍ୟ କରୁନଥିଲେ। ଏହି ଅଣଦେଖା ପାଇଁ ନିବେଦିତାଙ୍କ ମନରେ ପ୍ରବଳ ଅସନ୍ତୋଷ ରହିଥିଲା ବଡ଼ ଭାଇଙ୍କ ମୃତ୍ୟୁ ପାଇଁ ସୁଧୀର ଗୁଣିଗାରେଡ଼ି କରି ନିଜ ବାପାକୁ ମାରି ଦେଇଥିବା ନିବେଦିତା ସନ୍ଦେହ କରୁଥିଲେ, ଯାହା ଶତ୍ରୁତାକୁ ଅଧିକ ତୀବ୍ର କରିଥିଲା।ନିବେଦିତା ନିଜ ପ୍ରେମିକ କାଳୁ ଚରଣ ପ୍ରଧାନଙ୍କ ସହ ବାରମ୍ବାର ଏ ସମ୍ପର୍କରେ ଆଲୋଚନା କରିଥିଲେ। ସୁଧୀରଙ୍କୁ ଅପହରଣ କରି ମୋଟା ଅଙ୍କର ଟଙ୍କା ଆଦାୟ କରିବାକୁ ସେମାନେ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଥିଲେ। ପ୍ରେମିକ କାଳୁ କିଛି ପେଷାଦାର ଅପରାଧୀଙ୍କ ସହିତ ମିଶି ଏହି ଅପହରଣ ଓ ହତ୍ୟାକାଣ୍ଡକୁ ରୂପରେଖ ଦେଇଥିଲେ।ପୋଲିସ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ନିବେଦିତାଙ୍କ ପ୍ରେମିକ କାଳୁ ଚରଣ ପ୍ରଧାନ (ଗାଙ୍ଗପୁର ଥାନା ଅନ୍ତର୍ଗତ କାଳିଆଗୁଡା), ଶୁଭମ ନାୟକ (ଖରିଡ଼ା), ଶୁଭମ ଗୌଡ଼ (ପୁରୁଣାଖଣ୍ଡି), ଜିତୁନ୍ ପଳେଇ (ଆଲପୁର), ନାରାୟଣ ପ୍ରଧାନ (ରାମଣ୍ଡା), ଆଶିଷ ମହାପାତ୍ର (ବି.ବ୍ରହ୍ମପୁର) ଏବଂ ସୁରତରୁ ୟୁପିର ସୂର୍ଯ୍ୟ ପ୍ରତାପ ସିଂଙ୍କୁ ଗିରଫ କରିଛି।ଅପରାଧରେ ବ୍ୟବହୃତ ଗୋଟିଏ ବୋଲେରୋ, ଗୋଟିଏ ହ୍ୟୁଣ୍ଡାଇ କାର୍, ଗୋଟିଏ ବନ୍ଧୁକ ଏବଂ ୧୪ଟି ମୋବାଇଲ ଫୋନ ଜବତ କରାଯାଇଛି। ଗୋପାଳପୁର ଥାନାରେ କେସ୍ ନମ୍ବର ୨୧୩/୨୬ ରେ ମାମଲା ରୁଜୁ ହୋଇଛି। ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।









